ଆନ୍ତ୍ରିକ ଜ୍ୱର
ଆନ୍ତ୍ରିକ ଜ୍ୱର ବା ଟାଇଫଏଡ୍ ଜ୍ୱରରେ ବାତ, ପିତ୍ତ ଓ କଫ ‘ଦୋଷ ରହେ । ଅନ୍ତ୍ରରେ କ୍ଷତ ହୁଏ । ଏକ ପ୍ରକାର ଜୀବାଣୁ ଏହି ରୋଗର କାରଣ । ଦୂଷିତ ଜଳ ପିଇବା ହେତୁ ଏ ରୋଗ ହୁଏ । ଏ ରୋଗ ସାଧାରଣତଃ ସାତରୁ ଚଉଦ ଦିନ ପର୍ଯ୍ୟନ୍ତ ରହେ । ଏହା ଏକ ପ୍ରକାର ସନ୍ନିପାତକ ଜ୍ୱର । ଏହା ଏକ ସଂକ୍ରାମକ ରୋଗ । ସାଧାରଣତଃ ଜଳ ମାଧ୍ୟମରେ ସଂକ୍ରମିତ ହୁଏ । ବେଳେବେଳେ ଏହି ରୋଗର ପ୍ରଭାବ ୨୧ ଦିନ ପର୍ଯ୍ୟନ୍ତ ରହେ । ଏହି ରୋଗର ପ୍ରଧାନ ଲକ୍ଷଣ,
(୧) ମୁଣ୍ଡ ଓ ପେଟର ଯନ୍ତ୍ରଣା ହୁଏ ।
(୨) ପତଳା ଝାଡ଼ା, କାହାର କାହାର କୋଷ୍ଠକାଠିନ୍ୟ ହୁଏ ।
(୩) ପେଟ ଫାମ୍ପିବା ।
(୪) ପ୍ରଳାପ ଓ ମୋହ ।
(୫) ଶରୀରରେ ଘିମିରି ଭଳି ବାହାରିବା ।
ପ୍ରଥମ ସପ୍ତାହର ଲକ୍ଷଣ
ଆନ୍ତ୍ରିକ ଜ୍ୱର ହେଲେ ପ୍ରଥମ ସପ୍ତାହରେ ଦେହର ଉତ୍ତାପ ୧୦୩ରୁ ୧୦୪ ଡିଗ୍ରୀ ଫରେନହିଟ୍ ପର୍ଯ୍ୟନ୍ତ ବୃଦ୍ଧି ହୁଏ । ଶରୀରର ଉତ୍ତାପ ବଢ଼ିବା ସହ ନାଡ଼ୀର ଗତି ବୃଦ୍ଧି ହୁଏ ନାହିଁ । ନାଡ଼ୀର ଗତି ଦୀର୍ଘ ହୁଏ । ଜିଭ ଅପରିଷ୍କାର ଓ ଧଳା ଦେଖାଯାଏ । ପେଟ ଫାମ୍ଫେ । ମୁଣ୍ଡରେ ଯନ୍ତ୍ରଣା ହୁଏ । କାହାରି କାହାରି ପତଳା ଝାଡ଼ା ହୁଏ । କାହାରି କାହାରି କୋଷ୍ଠକାଠିନ୍ୟ ଦେଖାଯାଏ । ଛଅ, ସାତ ଦିନ ପରେ ପ୍ଲିହା ସାମାନ୍ୟ ବୃଦ୍ଧି ହୁଏ । ପେଟ ଓ ଶରୀର’ର ଚାରିଆଡ଼େ ଛୋଟ ଛୋଟ ଗୋଲାପି ରଙ୍ଗର ଘିମିରି ଭଳି ବାହାରେ ।
ଦ୍ୱିତୀୟ ସପ୍ତାହର ଲକ୍ଷଣ – ଦ୍ୱିତୀୟ ସପ୍ତାହରେ ପ୍ରଥମ ସପ୍ତାହର ଲକ୍ଷଣ ବୃଦ୍ଧି ହୁଏ । ରୋଗୀ ଦୁର୍ବଳ ଦେଖାଯାଏ । ପ୍ରଳାପ କରେ । ବେଳେ ବେଳେ ଚେତା ଚାଲିଯାଏ କିମ୍ବା ନାଡ଼ୀ ବନ୍ଦ ହୋଇଯାଏ । ରୋଗୀର ମୃତ୍ୟୁ ହେବା ସମ୍ଭାବନା ଥାଏ ।ତେଣୁ ରୋଗୀ ନିକଟରେ ସବୁବେଳେ ଅଭିଜ୍ଞ ସୁଶ୍ରୁଶାକାରୀ ରହିବା ଆବଶ୍ୟକ । ତୃତୀୟ ସପ୍ତାହରେ ଜ୍ୱର କମିବା ଆରମ୍ଭ ହୁଏ ।
ବିଶେଷ ସତର୍କତା – ଟାଇଫଏଡ୍ ଏକ ମାରାତ୍ମକ ରୋଗ । ଏହି ରୋଗର ଟୀକା ବାହାରିଲାଣି । ପିତାମାତା ସେମାନଙ୍କ ସନ୍ତାନମାନଙ୍କୁ ଶୈଶବ ଅବସ୍ଥାରେ ଚିକିତ୍ସକଙ୍କ ପରାମର୍ଶ ନେଇ ଉପଯୁକ୍ତ ସମୟରେ ଟୀକା ଦେବା ଆବଶ୍ୟକ । ରୋଗ ହେଲେ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖୁଆଇବା ସହ ନିମ୍ନମତେ ରୋଗୀର ଯତ୍ନ ନେବା ଆବଶ୍ୟକ ।
ରୋଗୀର ଯତ୍ନ
ଆନ୍ତ୍ରିକ ଜ୍ୱର ବା ଟାଇଫଏଡ୍ ରୋଗୀକୁ ସବୁବେଳେ ପରିଷ୍କାର ରଖିବା ଆବଶ୍ୟକ । ଯେଉଁ କୋଠରୀରେ ରୋଗୀଥାଏ ସେଠାରେ କୌଣସି ପ୍ରକାର ଦୂଷିତ ପଦାର୍ଥ ରଖିବା ଉଚିତ ନୁହେଁ । ଘର ଭିତରକୁ ଯଥେଷ୍ଟ ଆଲୋକ ଆସିବା ଓ ବାୟୁ ଚଳାଚଳ କରୁଥିବା ଆବଶ୍ୟକ । ରୋଗୀକୁ ନରମ ବିଛଣାରେ ଶୁଆଇବା ଉଚିତ । ପ୍ରତିଦିନ ରୋଗୀର ବିଛଣା ଓ ଲୁଗାପଟା ବଦଳାଇବା ଉଚିତ । ରୋଗୀ ଥିବା କୋଠରୀରେ ଶୁଶ୍ରୁଷାକାରୀ ବ୍ୟତୀତ ଅନ୍ୟ କେହି ରହିବା ଉଚିତ ନୁହେଁ । ରୋଗୀକୁ ବାରମ୍ବାର ବିରକ୍ତ ନ କରି ନୀରବରେ ଅଧିକ ସମୟ ଶୋଇବାକୁ ଦେବ । ସାନ୍ତୁନା ଓ ଆଶ୍ୱାସନା ଦେଇ ପ୍ରଳାପ ଓ ନୈରାଶ୍ୟ ମନୋଭାବରୁ ରକ୍ଷା କରିବାକୁ ଚେଷ୍ଟା କରିବ ।
ଆନ୍ତ୍ରିକ ଜ୍ୱର ହେଲେ ରୋଗୀର ପଥି ବିଷୟରେ ଅଧିକ ସତର୍କ ରହିବ । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ରୋଗୀକୁ ଖାଇବାକୁ ଦେବ । ଏ ରୋଗ ହେଲେ ଅତି ସହଜରେ ହଜମ ହୋଇପାରୁଥିବା ଭଳି ଖାଦ୍ୟ ରୋଗୀକୁ ଖାଇବାକୁ ଦେବା ଆବଶ୍ୟକ । କୌଣସି ପ୍ରକାର ଗୁରୁପାକ ଓ କଠିନ ଖାଦ୍ୟ ନଦେଇ କେବଳ ଲଘୁପାକ ତରଳ ଖାଦ୍ୟ ଖାଇବାକୁ ଦେବା ଉଚିତ ।
ପଥି
ଟାଇଫଏଡ୍ ରୋଗୀପାଇଁ ଦୁଧ ଓ ଛେନାପାଣି ହେଉଛି ସବୁଠାରୁ ନିରାପଦ ଖାଦ୍ୟ, ତେବେ କେବଳ ଦୁଧ ଦେବା ଉଚିତ ନୁହେଁ । ପତଳା ବାର୍ଲି ବା ପାଳୁଅ ପାଣି ପ୍ରସ୍ତୁତ କରି ସେଥିରେ ଅଳ୍ପ ଦୁଧ ମିଶାଇ ରୋଗୀକୁ ଦେବା ନିରାପଦ । ପେଟଦୋଷ ନ ଥିଲେ ସମାନ ପରିମାଣ ଦୁଧ ଓ ପାଣି ମିଶାଇ ଅଳ୍ପ ସିଝାଇ ପିଇବାକୁ ଦେବ । ପେଟ ଫାମ୍ପୁଥିଲେ କିମ୍ବା ପେଟର ଗୋଳମାଳ ଥିଲେ ଦୁଧ ନ ଦେଇ ଛେନାପାଣି ପିଇବାକୁ ଦେବ । ଗରମ ଦୁଧରେ ଲେମ୍ବୁ ଚିପୁଡ଼ି କିଛି ସମୟ ରଖିଦେଲେ (ଚୁଲି ଉପରେ ନୁହେଁ) ଛେନା ଛିଡ଼ିଯାଏ । ଏହାକୁ କନାରେ ଛାଣି, ପାଣିକୁ ପିଇବାକୁ ଦେବ । ଚାମଚେ ଶୁଣ୍ଠି ଓ ଚାମଚେ ପିପ୍ପଳୀ ଲିଟରେ ପାଣିରେ ପକାଇ ଅଧଲିଟର ରହିବା ପର୍ଯ୍ୟନ୍ତ
ଫୁଟାଇବ । ଥଣ୍ଡାକରି, ଛାଣି, ସେହି ପାଣିରେ ଅଳ୍ପ ବାର୍ଲି ଓ ମିଶିରି ପକାଇ ସିଝାଇ ରୋଗୀକୁ ଖାଇବାକୁ ଦେଲେ ଉପକାର ମିଳେ ।
ରୋଗୀକୁ ଏକାଥରେ କୌଣସି ଖାଦ୍ୟ ଅଧିକ ପରିମାଣରେ ଖାଇବାକୁ ନଦେଇ ପ୍ରତି ତିନିଘଣ୍ଟାରେ ଥରେ ଅଳ୍ପ ଅଳ୍ପ ଖାଇବାକୁ ଦେବ । ଖାଇବା ପୂର୍ବରୁ ଓ ପରେ ଭଲଭାବେ ପାଟି ଓ ଜିଭ ସଫା କରିବ ।
ଟାଇଫଏଡ୍ ରୋଗୀପାଇଁ ଜଳ ଅତି ଗୁରୁତ୍ଵପୂର୍ଣ । ରୋଗୀକୁ ପ୍ରଚୁର ପରିମାଣରେ । ପାଣି ପିଇବାକୁ ଦେବା ଉଚିତ । ପାଣିକୁ ଅଧା ରହିବା ପର୍ଯ୍ୟନ୍ତ ଫୁଟାଇ, ଥଣ୍ଡାକରି, ଛାଣି ରୋଗୀକୁ ପିଇବାକୁ ଦେବ ।
ମିଠା କମଳାରସ ଓ ଡାଳିମ୍ବରସ ରୋଗୀକୁ ଦିଆଯାଇପାରେ । ଚିକିତ୍ସକଙ୍କ ପରାମର୍ଶ ନେଇ ସପୁରୀରସ ଓ ଆଖୁରସ ଦିଆଯାଇପାରେ ।
ପେଟ ଫାମ୍ଫୁଥଲେ ଛେନାପାଣି ବ୍ୟତୀତ ଅନ୍ୟକିଛି ଖାଇବାକୁ ଦେବନାହିଁ ।ଜ୍ଵର ଛାଡ଼ିଯିବାପରେ ସଙ୍ଗେ ସଙ୍ଗେ କଠିନ ଖାଦ୍ୟ ଖାଇବାକୁ ନ ଦେଇ କିଛିଦିନ ତରଳ ଖାଦ୍ୟ ଦେବାପରେ ଧୀରେ ଧୀରେ ଲଘୁପାକ, କଠିନ ଲଘୁପାକୁ ଖାଦ୍ୟ ଦେବ ।
0 Comments