ସର୍ଦ୍ଦି ଓ କାସ ହୋଇ ଜ୍ଵର ଆସିଲେ ତାକୁ କଫଜ୍ଵର କୁହାଯାଏ । କଫଜ୍ଵର ହେଲେ ଛାତିରେ କଫ ଜମିଯାଇ ଘଡ଼ଘଡ଼ ଶବ୍ଦ ହୁଏ । କଫଜ୍ଵର ଅଧକ ଥିଲେ ପ୍ରଥମ ଦିନ କେବଳ ନିର୍ଜଳା ଉପବାସ ରହିବ । ମଝିରେ ମଝିରେ ଅଳ୍ପ ଅଳ୍ପ ଉଷୁମ ପାଣି ପିଇବ । ଏହାଦ୍ଵାରା କଫ ତରଳି ଯାଇ କାସ ହୋଇ ବାହାରିଯାଏ । ଦ୍ଵିତୀୟ ଦିନ ଚାରି, ପାଞ୍ଚ ଚାମଚ ବେଲପତ୍ର ରସରେ ଟିପେ ଗୋଲମରିଚ ଗୁଣ୍ଡ ଓ ଚାମଚେ ମହୁ ମିଶାଇ ସକାଳୁ ଖାଲି ପେଟରେ ଖାଇବାକୁ ଦେବ । ରୋଗୀ ଖାଇବାକୁ ଇଚ୍ଛାକଲେ ତଟକା ଖଇ, ଅଦା, ମିଶିରି ସହିତ ଖାଇବାକୁ ଦେବ । ଖାଇବା କିଛି ସମୟପରେ ପାଣି ପିଇବ । ଜ୍ଵରର ପ୍ରକୋପ କମିଗଲେ ସାଗୁ ଖାଇବାକୁ ଦେବ । ଗରମ ମୁଢ଼ି, ଚୁଡ଼ାଭଜା ମଧ୍ୟ ଦିଆଯାଇପାରେ ।
୧୨ ଗ୍ରାମ୍ ଶୁଣ୍ଠି ଓ ୧୨ ଗ୍ରାମ୍ ପିପ୍ପଳୀକୁ ଅଳ୍ପ ଗୁଣ୍ଡକରି ୪ ଲିଟର ପାଣିରେ ପକାଇ ସିଝାଇବ । ସିଝି ସିଝି ଦୁଇ ଲିଟର ରହିଲେ ଚୁଲିରୁ ଓହ୍ଲାଇ ଛାଣି ଥଣ୍ଡାକରି ରଖିବ । ଏହି ପାଣିରୁ କପେ, ଦୁଇକପ ନେଇ ସେଥିରେ ମୁଠାଏ ଖଇ ପକାଇ ଭଲଭାବେ ଚକଟି, ଛାଣି, ପାଣିକୁ ରୋଗୀକୁ ପିଇବାକୁ ଦେଲେ କଫ ଜ୍ଵରରେ ଉପକାର ମିଳେ । ଏଥିରେ ମିଶିରି ଗୁଣ୍ଡ ମିଶାଇଲେ ରୁଚିକର ଓ ଅଗ୍ନି ବୃଦ୍ଧିକାରକ ହୁଏ ।
ଖାଲି ଦୁଧ ଶ୍ଳେଷ୍ମା ଓ କଫ ବୁଦ୍ଧି କାରକ । ମାତ୍ର ଦୁଧରେ ପିପ୍ପଳୀ ମିଶାଇ କିଛି ସମୟ ଫୁଟାଇ, ଛାଣି, ଥଣ୍ଡାକରି ଖାଇଲେ କ୍ଷତି କରେ ନାହିଁ । ଅଧିକ କାଶ ହେଉଥିଲେ ଓ ଗଳା ବସି ଯାଇଥିଲେ ଅଳ୍ପ ଗୁଆଘିଅରେ ୧୫, ୨୦ଟି ଗୋଲମରିଚ୍ ଭାଜି ଗୁଣ୍ଡକରି ଗିଲାସେ ଦୁଧରେ ମିଶାଇ ରାତିରେ ପିଇଲେ ଉପକାର ମିଳେ ।
ଯେଉଁମାନଙ୍କର ଚା’ ପିଇବା ଅଭ୍ୟାସ ଥିବ, ସେମାନେ ଦୁଇଟି ପିପ୍ପଳୀ, ଦୁଇଖଣ୍ଡ ଶୁଣ୍ଠି, ପନ୍ଦର କୋଡ଼ିଏଟି ଗୋଲମରିଚ, ତିନି ଚାରିଟି ତେଜପତ୍ର, ଆବଶ୍ୟକ ପରିମାଣର ମଶରି ଏକ ଲିଟର ପାଣିରେ ପକାଇ ସିଝାଇବ । ୨୫୦ ମି.ଲି. ରହିଲେ ଛାଣି, ଗରମ ଗରମ ପାଣିକୁ ଧୀରେ ଧୀରେ ପିଇଲେ ଉପକାର ମିଳେ । ଚା’ର ଆବଶ୍ୟକତା ରହିବ ନାହିଁ । ଶୁଖୁଲା ତୁଳସୀ ଜଟାକୁ ପାଣିରେ ସିଝାଇ ଚା’ ଭଳି ପିଆଯାଇପାରେ । କଫ ଅବସ୍ଥାରେ ର’ ପିଇବା ଉଚିତ ନୁହେଁ ।
ଦିନକୁ ୨୫୦ ଗ୍ରାମ ପାଚିଲା ସେଓ ସାତଦିନ ଖାଇଲେ ଶୁଖିଲା କଫରେ ଉପକାର ମିଳେ | ଯକ୍ଷ୍ମା, ଶ୍ୱାସ, ସାଧାରଣ ଥଣ୍ଡା, ବ୍ରୋଙ୍କାଇଟିସ୍ ଆଦି ଯେକୌଣସି ରୋଗ ହେତୁ ଛାତିରେ କଫ ଜମିଗଲେ କପେ କମଳା ରସରେ ଟିପେ ଲୁଣ ଓ ତିନିଚାମଚ ମହୁ ମିଶାଇ ନିୟମିତ କିଛି ଦିନ ଦିନକୁ ଦୁଇଥର ପିଇଲେ ଉପକାର ମିଳେ ।
ଚାରିରୁ ପାଞ୍ଚ ଚାମଚ ଲେମ୍ବୁରସ କପେ ଉଷୁମ ପାଣିରେ ମିଶାଇ ଖାଇଲେ ହାଡ଼ଫୁଟି, ମିଳିମିଳା ଆଦି ଯେକୌଣସି ଜ୍ଵରରେ ଉପକାର ମିଳେ । ଦେହର ଉତ୍ତାପ କମେ, ଶୋଷ କମେ, ଝାଳ ବାହାରେ । ଚାରିଘଣ୍ଟାରେ ଥରେ ପିଇଲେ ଝାଳବାହାରି ଜ୍ଵର କମିଯାଏ ।'
ଯେକୌଣସି ଜ୍ଵର, ବିଶେଷଭାବେ ଯେଉଁ ଜ୍ଵରରେ ଜିଭ ଶୁଖିଯାଏ, ଭୋକ ଶୋଷ ଲାଗେ ନାହିଁ କିମ୍ବା ଟାଇଫଏଡ୍, ଯକ୍ଷ୍ମା, ମିଳିମିଳା ଭଳି ଜ୍ଵର ରୋଗରେ କମଳା ରସ ପିଇଲେ ଉପକାର ମିଳେ । ଏହା ଶରୀରକୁ ଶକ୍ତି ପ୍ରଦାନ କରେ । ପରିସ୍ରା ବୃଦ୍ଧି କରେ ଓ ରୋଗ ନିରୋଧକ ଶକ୍ତି ବୃଦ୍ଧି କରେ । ଥରକୁ କପେଲେଖା ଦିନକୁ ଦୁଇ, ତିନିଥର ପିଇବା ଆବଶ୍ୟକ ।
ଟାଇଫଏଡ, ଶ୍ଵାସ, ପେଟଦୋଷ ହେତୁ କିମ୍ବା ଯେକୌଣସି ଜ୍ଵର ହେଲେ କପେ ଡାଳିମ୍ବରସରେ ଚୁମୁଟେ କେଶର ମିଶାଇ ପିଇଲେ ଉପକାର ମିଳେ । ଚାରି ଘଣ୍ଟାରେ କପେ ପିଇବ ।
୩୦ ଗ୍ରାମ କିସମିସକୁ ପାଣିରେ ବତୁରାଇ ଚକଟି ଛାଣି ଦେବ | ଏହି ଛଣା ପାଣିରେ ଲେମ୍ବୁରସ ମିଶାଇ ପିଇଲେ ସମସ୍ତ ପ୍ରକାର ଜ୍ୱରରେ ଉପକାର ମିଳେ |
0 Comments