ଜ୍ୱର
ଜ୍ୱରର ପ୍ରଥମ ଅବସ୍ଥାରେ ଉପବାସ ହିଁ ଉତ୍ତମ ବ୍ୟବସ୍ଥା । ଏଠାରେ ଉପବାସ କହିଲେ ନିରାହାର ଉପବାସକୁ ବୁଝାଇବ ନାହିଁ । ରୋଗୀ କୌଣସି ଗୁରୁପାକ ଖାଦ୍ୟ ନ ଖାଇ କେବଳ ଲଘୁପାକ ଖାଦ୍ୟ ଖାଇବ । ଶରୀର ଯେପରି ଭାରାକ୍ରାନ୍ତ ନ ହୋଇ ହାଲୁକା ରହିବ, ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଲଘୁପାକ ଖାଦ୍ୟଦ୍ଵାରା ପେଟଦୋଷ ଦୂର ହୁଏ । ଖାଦ୍ୟ ସହଜରେ ହଜମ ହେବାରୁ ଦେହର କସକସିଆ ଓ ଆଳସ୍ୟ ଭାବ ଦୂର ହୁଏ । ଭୋକ ଲାଗେ । ତେବେ ରୋଗୀ ଯେପରି ଦୁର୍ବଳ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । କାରଣ ଶରୀର ଦୁର୍ବଳ ହେଲେ ରୋଗ ଆରୋଗ୍ୟ ହେବା କଷ୍ଟକର ।
ପଥ
ଜ୍ଵର ଥିବା ଅବସ୍ଥାରେ ବାଲିପାଣି, ଖଇ, ମିଶିରି, ଅଳେଇଚ ମଞ୍ଜି ଆଦି ଦିଆଯାଇପାରେ । ଅଳ୍ପ ଜ୍ଵର ଥିଲେ ଗରମ ମୁଢ଼ି ବା ଭଜା ଚୁଡ଼ା ଦିଆଯାଇପାରେ । ଦିନ ଭିତରେ ଚାରି ପାଞ୍ଚ ଥର ସାଗୁପାଣି ପିଇବାକୁ ଦେବ । ଥରକେ ଅଧିକ ପରିମାଣରେ ଖାଇବାକୁ ନଦେଇ ବାରମ୍ବାର ଅଳ୍ପ ଅଳ୍ପ ଦେବ । ପ୍ରତ୍ୟେକ ଥର ଖାଇବା ପୂର୍ବରୁ ଓ ପରେ ଭଲଭାବେ ମୁଖ (ପାଟି) ଧୋଇବ । ଏହାଦ୍ୱାରା ମୁହଁର ଗନ୍ଧ ଦୂର ହୁଏ ଓ ଅରୁଚି ହୁଏ ନାହିଁ ।
ଅଧିକ ଗାଧୋଇବା ହେତୁ କିମ୍ବା ଥଣ୍ଡା ଲାଗିବା ହେତୁ ଜ୍ଵର ଆସିଥିଲେ ପ୍ରଥମ ଦିନ କୌଣସି ଖାଦ୍ୟ ଖାଇବାକୁ ଦେବ ନାହିଁ । କେବଳ ଉଷୁମ ପାଣି ଅଳ୍ପ ଅଳ୍ପ ପିଇବାକୁ ଦେବ । ବାନ୍ତି ହେଲେ କିମ୍ବା ମୁଣ୍ଡ ବୁଲାଇଲେ ପାନମହୁରୀ ଭିଜା ପାଣି ପିଇବାକୁ ଦେବ ।
ଜଳ
ଜ୍ଵରାକ୍ରାନ୍ତ ରୋଗୀକୁ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେବା ଆବଶ୍ୟକ । ଯେଉଁ ଜ୍ଵରରେ ଅଧିକ ଶୋଷ ଲାଗେ, ସେଥିରେ ରୋଗୀକୁ ମନଇଚ୍ଛା ପାଣି ପିଇବାକୁ ଦେବ । ତେବେ ଆକଣ୍ଠ ପାଣି ପିଇବାକୁ ନ ଦେଇ ବାରମ୍ବାର ପିଇବାକୁ ଦେବ । ।
ଯେକୌଣସି ରୋଗୀକୁ ଫୁଟାପାଣି ପିଇବାକୁ ଦେବା ଆବଶ୍ୟକ । ପାଣିକ ଭଲଭାବେ ଫୁଟାଇ ଥଣ୍ଡାକରି ରୋଗୀକୁ ପିଇବାକୁ ଦେବ । ଥରେ ଫୁଟା ହୋଇଥିବା ପାଣିକୁ ଆଉଥରେ ଫୁଟାଇବ ନାହିଁ । ବାସୀ ଫୁଟାପାଣି ରୋଗୀକୁ ପିଇବାକୁ ଦେବା ଉଚିତ ନୁହେଁ ।
ଦୁଧ
ଅଳ୍ପ ଜ୍ଵର ଥିଲେ ରୋଗୀକୁ ଦୁଧ ଦେଇପାରିବ । ତେବେ ଖାଲି ଦୁଧ ନ ଦେଇ ଦୁଧରେ ସାଗୁ, ବାର୍ଲି ଆଦି ମିଶାଇ ଦେବା ହିତକର । ଅଧିକ ଜ୍ୱର ଥିଲେ ରୋଗୀକୁ ଆଦୌ ଦୁଧ ଦେବ ନାହିଁ ।
ଫଳ
ଜ୍ଵରାକ୍ରାନ୍ତ ରୋଗୀକୁ ଫଳ ଖାଇବାକୁ ଦିଆଯାଇପାରେ । ଏହାଦ୍ଵାରା ଶରୀରର ଶକ୍ତି ବୃଦ୍ଧି ହୁଏ ଓ ଆହାର ପ୍ରତି ଅରୁଚି ଦୂର ହୁଏ । କମଳା, ସେଓ, ଡାଳିମ୍ବ ଆଦି ଫଳ ଜ୍ଵର ରୋଗୀକୁ ଦିଆଯାଇପାରେ । ପେଟ ଗୋଳମାଳ କିମ୍ବା ଅଧିକ ସର୍ଦ୍ଧି, କାଶ ନ ଥିଲେ କିସମିସ, ଖଜୁର, ପିଜୁଳୀ, ସପୁରୀ, ବାତାପି ଆଦି ଫଳ ଅଳ୍ପ ପରିମାଣରେ ରୋଗୀକୁ ଖାଇବାକୁ ଦିଆଯାଇ ପାରେ ।
ପିପାସା
ଜ୍ଵର ରୋଗୀକୁ ଅଧିକ ଶୋଷ ଲାଗୁଥିଲେ ଜାମୁରୋଲ, କେଶର, ପାଣି ଫଳ, ସେଓ ଆଦି ଦେଲେ ଉପକାର ମିଳେ । ଫଳକୁ ଭଲଭାବେ ଚୋବାଇ ଖାଇବା ଉଚିତ । ଚୋପା ଫୋପାଡି ଦେବା ଦରକାର ।
ଜ୍ଵର କମିଲେ
ଜ୍ଵର କମିଗଲେ ରୋଗୀକୁ କ୍ରମଶଃ ସୁଜି କିମ୍ବା ଅଟା ରୁଟି, ପୁରୁଣା ଚାଉଳ ଭାତ, ଛୋଟ ତଟକା ମାଛ ଭଜା, ଛୋଟ ଖାସି ମାଂସ ତରକାରି ଦିଆଯାଇପାରେ । ଅଳ୍ପ ଆଳୁ, କଷିପୋଟଳ, କଞ୍ଚା କଦଳୀ, କଷିବାଇଗଣ ଆଦିର ଝୋଳ ଖାଇବାକୁ ଦିଆଯାଇପାରେ ।ଜ୍ୱର ହେଲେ କୌଣସି ଖଟା ଖାଇବା ଉଚିତ୍ ନୁହେଁ | ତେବେ ରୁଚି ବୃଦ୍ଧି ପାଇଁ କେବଳ ଅଳ୍ପ ଲେମ୍ବୁରସ ବା ଲେମ୍ବୁ ଆଚାର ଦିଆଯାଇପାରେ |
ଜ୍ଵର ହୁଏ କାହିଁକି ?
ଜ୍ଵର ଏକ ରୋଗ ନୁହେଁ । ଶରୀରର ରୋଗ ପ୍ରତିରୋଧକ ପ୍ରକ୍ରିୟା ହେତୁ ଜ୍ଵର ହୁଏ । ଜୀବାଣୁ ବା ଭୂତାଣୁ ଦ୍ଵାରା ଶରୀର ଆକ୍ରାନ୍ତ ହୁଏ । ଅଧିକ ଉପରେ ଜୀବାଣୁ ବଂଶବିସ୍ତାର କରି ପାରେ ନାହିଁ । ଏ କଥା ମଣିଷ ମସ୍ତିଷ୍କ ଜାଣେ । ତେଣୁ ଜୀବାଣୁ (ବ୍ୟାକ୍ଟେରିଆ) ମାନଙ୍କ ବଂଶବିସ୍ତାର ରୋକିବା ପାଇଁ ମସ୍ତିଷ୍କ ଶରୀରର ଉତ୍ତାପ ବୃଦ୍ଧି କରେ । ଏହାକୁ ଆମେ ଜ୍ଵର କହୁଁ । ତେଣୁ ଜ୍ଵର ହେଲେ କୌଣସି ଚିକିତ୍ସକଙ୍କ ବିନା ପରାମର୍ଶରେ ଔଷଧ ଖାଇ ଜ୍ଵର କମାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ । ଚିକିତ୍ସକଙ୍କ ପରାମର୍ଶ ନେବା ପୂର୍ବରୁ ଅଧିକ ଜ୍ଵର ହେଲେ ନିମ୍ନମତେ ଜ୍ଵର ହ୍ରାସ କରାଯାଇ ପାରିବ ।
(୧) ଗିଲାସେ ଉଷୁମ ପାଣିରେ ଦୁଇ ଚାମଚ ମହୁ ଗୋଳାଇ ପିଇଲେ ଝାଳ ବହି ଜ୍ଵର କମିଯିବ ।
(୨) କପାଳରେ ଥଣ୍ଡାପାଣିରେ ବୁଡ଼ାଇ କନାପଟି ଦେଲେ ଜ୍ଵର କମିଯିବ ।
(୩) ମୁଣ୍ଡ ଧୋଇ ଦେଲେ ଜ୍ଵର କମିଯିବ ।
(୪) ପାଣିରେ ଗାମୁଛା ବୁଡ଼ାଇ, ଚିପୁଡ଼ି, ଓଦା ଗାମୁଛାରେ ଦେହ ପୋଛି ଦେଲେ ଜ୍ଵର କମିଯିବ ।
0 Comments