ପିତ୍ତଜ୍ୱର :
ଜ୍ଵର ରୋଗୀର ପିତ୍ତ ପ୍ରକୋପ ଥିଲେ କିମ୍ବା ଗୋଡ଼ହାତ ଜଳାପୋଡ଼ା କଲେ, ଆଖିରୁ ପାଣି ବାହାରିଲେ, ପିତ୍ତବାନ୍ତି ହେଲେ ଖାଦ୍ୟ ନିୟନ୍ତ୍ରଣ କରିବ । ସାଧାରଣ ଜ୍ଵରର ପଥି ଖାଇବାକୁ ଦେବ । କଷିପୋଟଳକୁ ନିଆଁରେ ସେକି, ଚିପୁଡ଼ି, ରସ ବାହାର କରି ଖାଇଲେ ପିତ୍ତ ଶାନ୍ତହୁଏ । ପିତ୍ତ ଶାନ୍ତ ହେଲେ ଜ୍ୱର କମିଯାଏ ।

ଦେହ ବୁଲାଇ ହୋଇ ବାନ୍ତି ହେଲେ ପଇଡ଼ ପାଣି କିମ୍ବା ଭିଜା ମୁଢ଼ି ପାଣି ପିଇବାକୁ ଦେବ । ପତଳା ଝାଡ଼ା ହେଉଥିଲେ କଷି ତାଳସଜ
ଓ ତାହାର ପାଣି କିମ୍ବା ଚୁଡ଼ାପାଣି ପ୍ରସ୍ତୁତ କରି ଖାଇଲେ ଉପକାର ମିଳେ । ଚୁଡ଼ାକୁ ଅଧିକ ପାଣିରେ ବତୁରାଇ, ଚକଟି, ଛାଣି ପାଣିକୁ ପିଇବ ।

ପିତ୍ତଜ୍ୱର ହେଲେ ଗରମ ପାଣି ପିଇବ ନାହିଁ । ପାଣିକୁ ଫୁଟାଇ ଥଣ୍ଡାକରି ପିଇବ । ରାତିରେ ଗିଲାସେ ପାଣିରେ ଦୁଇ ଚାମଚ ଧଣିଆ ଭିଜାଇ ପରଦିନ ସକାଳୁ ଛାଣି ଅଳ୍ପ ମିଶିରି ମିଶାଇ ପିଇଲେ ପିତ୍ତ ଶାନ୍ତି ହୁଏ । ଧଣିଆକୁ ଦରଗୁଣ୍ଡ କରି ବତୁରାଇବ |

ପିତ୍ତଜ୍ଵର ହେଲେ ଅଧିକାଂଶ ସମୟରେ ପତଳା ଝାଡ଼ା ହୁଏ ଓ ଝାଡ଼ାରେ ପିତ୍ତ ମିଶିଥାଏ । ଏଭଳି ଅବସ୍ଥାରେ ବାଲିପାଣି, ଛେନାପାଣି ଓ ଲେମ୍ବୁରସରେ ଚିନି ମିଶାଇ ପିଇବ । ଦେହ କୁଣ୍ଡାଇ ହେଲେ କିମ୍ବା ଦେହର ଯନ୍ତ୍ରଣା ହେଲେ ଖାଣ୍ଟି ସୋରିଷ ତେଲ ଓ ପାଣିକୁ ଏକତ୍ର ମିଶାଇ ଦେହରେ ଲଗାଇ ଶୁଖିଲା ଗାମୁଛାରେ ପୋଛିଦେବ ।

ନିୟମିତ କଞ୍ଚା ଆମ୍ବରେ ମହୁ ଓ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ପିତ୍ତଦୋଷ ଶାନ୍ତ ହୁଏ । ଏହା ପିତ୍ତ କ୍ଷରଣକୁ ତ୍ୱରାନ୍ୱିତ କରିଥାଏ ।
ଚାରିଚାମଚ ଡାଳିମ୍ବରସରେ ସମପରିମାଣ ମହୁ ମିଶାଇ ଖାଇଲେ ପିତ୍ତବାନ୍ତି, ଛାତି ପୋଡ଼ା, ପିତ୍ତାଧିକ୍ୟ, ପେଟ ଫୁଲା ଆଦି ରୋଗ ଭଲହୁଏ ।