ରବି ସିଂ (୨୭ ଜାନୁଆରୀ ୧୯୩୧ - ୨ ଫେବୃଆରୀ ୨୦୨୦) ଜଣେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ସେ ୫୦ରୁ ଅଧିକ ପୁସ୍ତକ ରଚନା କରିଥିଲେ । ଜଣେ ସାମ୍ବାଦିକ ଓ ରାଜନେତା ଭାବରେ ମଧ୍ୟ ସେ ପରିଚିତ ଥିଲେ ।

ଜୀବନୀ
ରବି ସିଂ, ୧୯୩୧ ମସିହାରେ, ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ନବାପାଟଣା ଅନ୍ତର୍ଗତ ସିଂହାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ପିତା , ରାମଚନ୍ଦ୍ର ସିଂ ଓ ମାତା ଶାରଦା ଦେବୀ , ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପିତାମତାଙ୍କ ପ୍ରଭାବରେ, ରବି ସିଂ ପିଲାଟି ଦିନରୁ ରାଜନୀତି ସହିତ ସଂଶ୍ଲିଷ୍ଟ ଥିଲେ । ଖୁବ କମ ଶିକ୍ଷାଗ୍ରହଣ କରିବା ସତ୍ତ୍ୱେ, ସେ ଓଡ଼ିଆ, ଇଂରାଜୀ ଓ ବଙ୍ଗଳା ସାହିତ୍ୟ ବହୁଳ ଭାବରେ ପଢୁଥିଲେ । ୧୯୪୮ ମସିହାରେ, ସେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଓ ୧୯୫୩ ମସିହାରେ ଅବିଭାଜିତ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରେ ଯୋଗଦାନ କରିଥିଲେ । ୧୯୫୫ ମସିହାରେ, ସେ "ଗୋଆ ମୁକ୍ତି ସଂଗ୍ରାମ"ରେ ଅଂଶଗ୍ରହଣ କରିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ବହୁଦିନ କାରାବରଣ କରିଥିଲେ ।

ସାହିତ୍ୟିକ ଜୀବନ
ରବି ସିଂଙ୍କ ସାହିତ୍ୟିକ ଜୀବନ ୧୯୫୫ ମସିହା ପରେ ଆରମ୍ଭ ହୋଇଥିଲା । ସେ, ଜଣେ ବୈପ୍ଲବିକ ଓ ବାମପନ୍ଥୀ ଚିନ୍ତାଧାରର ବିଦ୍ରୋହୀ କବି ଭାବେ ପରିଚିତ ଥିଲେ ।ଶୋଷିତ, ନିଷ୍ପେସିତ, ଆର୍ତ୍ତ, ପୀଡିତ ତଥା ନିର୍ଯାତିତ ବର୍ଗର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଏବଂ ଜୀବନ ସଂଗ୍ରାମ ତାଙ୍କ କବିତାରେ ପ୍ରତିଫଳିତ ହୋଇଥିଲା । ବିବାହ ପୂର୍ବରୁ ସେ କେବଳ ଏକମାତ୍ର କବିତା ସଂକଳନ 'ଚରମପତ୍ର' ରଚନା କରିଥିଲେ । "ଚରମ ପତ୍ର"ରେ ଈଶ୍ୱରଙ୍କୁ ପ୍ରତିବାଦୀୟ ସ୍ୱରୋତ୍ତଳନ କରି ଦୁଃଖୀମାନଙ୍କ ଅଧିକାର ଓ ଅସ୍ତିତ୍ୱର ପ୍ରତିପାଦନ ସହ ମାନବିକତାର ପ୍ରଶ୍ନ ଉଠାଇଥିଲେ । ତାଙ୍କର ସେ ପଂକ୍ତି ଏହିପରି ଥିଲା :- "ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ/ ଆଗାମୀ ଚବିଶ ଘଣ୍ଟା ଭିତରେ/ ଆଗାମୀ କାଲିର ଏଇ ପ୍ରଭାତରେ/ ଖାଲି କର ତମେ ଗୋଲୋକ-ସିଂହାସନ/ ଘେନ ଭଗବାନ, ଚରମ ପତ୍ର ଘେନ ।" ବିବାହପରେ ପତ୍ନୀ ବକୁଳଙ୍କ ପ୍ରୋତ୍ସାହନରେ ସେ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କର ସବୁ କବିତାରେ ପ୍ରଗତିଶିଳତାର ଭାବ ଓ ସମାଜର ଧରାବନ୍ଧା ନିତିନିୟମ ପ୍ରତି ବିଦ୍ରୋହ ସ୍ପଷ୍ଟ ଦେଖାଯାଇଥିଲା । ଉପଯୁକ୍ତ ଶବ୍ଦ ଓ ଛନ୍ଦର ସଂଯୋଜନା ତାଙ୍କ କବିତାର ଅନ୍ୟ ଏକ ବିଶିଷ୍ଟତା । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ଥିଲା । ସେ ବହୁ ଋଷିୟ ସାହିତ୍ୟକୁ ଓଡ଼ିଆରେ ଅନୁବାଦ କରିଥିଲେ । ଜଣେ ସୁବକ୍ତା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ସେ ଓଡ଼ିଆ ଓ ଇଂରାଜୀ ଖବର କାଗଜ ଓ ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ ।

ରଚନାବଳୀ
କବିତା ସଂକଳନ
ପଥପ୍ରାନ୍ତର କବିତା - ୧୯୫୯
ଚରମ ପତ୍ର - ୧୯୬୨
ଶିଥିଳ ବଳ୍ଗ - ୧୯୬୧
ଲାଲ ପଗୋଡାର ପ୍ରେତ ଓ ଅନ୍ୟାନ୍ୟ କବିତା - ୧୯୬୩
ଭୃକୁଟି - ୧୯୬୩
ବିଦୀର୍ଣ୍ଣ - ୧୯୬୪
ଅପ୍ରୀତିକର କବିତା - ୧୯୬୬
ଜ୍ୱାଳାର ମାଳା - ୧୯୬୭
କ୍ଷତ - ୧୯୬୮
ବିଷବାଣୀ - ୧୯୬୯
ଦୁର୍ଗମ ଗିରି - ୧୯୭୧
ଝଡ଼ - ୧୯୭୩
ସର୍ବହରା - ୧୯୭୪
ବନ୍ୟା - ୧୯୭୭
ଅନ୍ୟାୟର ଚର୍ଯ୍ୟାପଦ - ୧୯୭୮
ଅନୁବାଦ ପୁସ୍ତକ
ଅନ୍ଧକାରର ସଙ୍ଗୀତ
ବିରସ କଷଣି
ନାୟକ ଆମ ସମୟର
ବୋତଲ ଭୂତ
ପୂର୍ବ କ୍ଷଣ
ଆତ୍ମଜୀବନୀ
ନିସଙ୍ଗ ପଦାତିକ
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୭
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଚରମ ପତ୍ର ପାଇଁ)
ଝଙ୍କାର ପୁରସ୍କାର, ୧୯୮୯
ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ), ୨୦୧୪ 
ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ୧୯୯୬