ଶୋଥ (ଡ୍ରପ୍‌ସି) 

ବିଭିନ୍ନ କାରଣରୁ ଶିରା, ପ୍ରଶିରାରେ ରକ୍ତ ସୁଚାରୁ ରୂପେ ପ୍ରବାହିତ ହୋଇ ନପାରି ସ୍ଥିତ ଓ କଠିନ ହୁଏ । ଏହାକୁ ଶୋଥ କୁହନ୍ତି । ଏହି ରୋଗରୁ ଆରୋଗ୍ୟ ଲାଭପାଇଁ ଔଷଧ ଅପେକ୍ଷା ପଥି ଅଧିକ ଗୁରୁତ୍ୱପୂର୍ଣ୍ଣ । କିଛିଦିନ ପଥରେ ରହିଲେ ରୋଗ ଭଲ ହୋଇଯାଏ ।

ପଥି :
ଦିନକୁ ଗୋଟିଏ ଓଳି ପୁରୁଣା ଚାଉଳର ଭାତ ଓ ଅନ୍ୟ ଓଳି ଯଅ ବା ଗହମ ଅଟାର ରୁଟି ଖାଇବ । ରାତିରେ ଦୁଧ ଓ ଖଇ କିମ୍ବା ସାଗୁ ଓ ଦୁଧ ଖାଇବ ।ପୋଟଳ, କଞ୍ଚାକଦଳୀ, ମଞ୍ଜା, ଅମୃତଭଣ୍ଡା, ବାଇଗଣ, ମୂଳା, ଲାଉ, ଗାଜର, ସଜନାଶାଗ, ଓଲୁଅ, ମାଣସାରୁ, ପିଆଜ, ରସୁଣ, ଅଦା, କାଙ୍କଡ଼, କଲରା ଆଦି ପରିବା ପ୍ରସ୍ତୁତ ତରକାରି ଖାଇବ ।ପୋଟଳ ଶାଗ, ପୁରୁଣୀ ଶାଗ, ନିମପତ୍ର, ବଥୁଆ ଶାଗ ଆଦି ଖାଇଲେ ଉପକାର ମିଳେ ।ମୁଗ ବା କୋଳଥ ଡାଲିର ପାଣି ଖାଇବ । କୁକୁଡ଼ା ମାଂସ ଖିଆଯାଇପାରେ । ଛେଳି ମାଂସ ଓ ବଡ଼ ମାଛ ଖାଇବ ନାହିଁ ।

ଲୁଣ ଯେତେ କମ୍ ଖାଇବ ସେତେ ଭଲ । ପାଣିକୁ ଫୁଟାଇ ଥଣ୍ଡା କରି ପିଇବ । ପଇଡ଼ ପାଣି ଦିନକୁ ଗୋଟିଏ ପିଆଯାଇପାରେ । ସାଧାରଣ ଲୁଣ ଅପେକ୍ଷା ସୈନ୍ଧବ ଲବଣ ବ୍ୟବହାର କରିପାରିଲେ ଭଲ । ବସାଦହି ଖାଇବ ନାହିଁ । ଘୋଳ ଦହି ଅଳ୍ପମାତ୍ରାରେ ଖିଆଯାଇପାରେ । ଛେନା ଓ ଛେନାପାଣି ଉପକାରୀ । ଚିନି ବଦଳରେ ମହୁ ଖାଇପାରିଲେ ସୁଫଳ ମିଳେ । ରୋଗର ପ୍ରବଳ ଅବସ୍ଥାରେ, ଯେତେବେଳେ ଗୋଡ଼, ହାତ ଫୁଲିଯାଏ, ହୃତପିଣ୍ଡ ଦୁର୍ବଳ ହୁଏ, ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ବାଧା ବିଘ୍ନ କିମ୍ବା କଷ୍ଟ କିମ୍ବା ରୋଗୀ ଧଇଁସଇଁ ହୁଏ କିମ୍ବା ହାମ୍ପି ହୁଏ, ସେତେବେଳେ ଲୁଣ ଓ ପାଣି ଦେବା ସଂପୂର୍ଣ୍ଣ ବନ୍ଦ କରିବେ । ଏ ଅବସ୍ଥାରେ ଦୁଧ, ଅତି ଉପକାରୀ । ଜ୍ୱର ନ ଥିଲେ ଦୁଇଓଳି ଗରମ ଭାତ, ଦୁଧ ସହିତ ଖାଇବାକୁ ଦେବ । ରାତିରେ ଭାତ ନ ଖାଇ ଦୁଧ ଓ ରୁଟି ଖାଇବା ଭଲ । ଚିନି ବଦଳରେ ମିଶ୍ରି ଗୁଣ୍ଡ ଖାଇବ ।ବେଶୀ ଭୋକ ନ ଥିଲେ ଦୁଧ ଓ ଖଇ ଖାଇବ । କୌଣସି ପ୍ରକାର ତରକାରି ଖାଇବା ନାହିଁ । ଶୋଷ ଲାଗିଲେ ପାଣି ନ ପିଇ ପଇଡ଼ ପାଣି ପିଇବ । ଆଦୌ ଗାଧୋଇବ ନାହିଁ । ଜଳଖିଆ ଖାଇବା ସମୟରେ ଗୋଟିଏ ରସଗୋଲା ଖାଇ ପାରିବ । ଶୋଥ ରୋଗୀର ଝାଡ଼ା ପରିସ୍ରା ଯେପରି ଠିକ ହୁଏ, ସେଥିପ୍ରତି ଦୃଷ୍ଟିଦେବ । ଶୋଥ ଭଲ ହେବା ପରେ ମଧ୍ୟ ମାସେ ଦୁଇମାସ ପର୍ଯ୍ୟନ୍ତ ଲୁଣ ଖାଇବାକୁ ଦେବ ନାହି । ଧୀରେ ଧୀରେ ଆଳୁ ଭାତ ଠାରୁ ଆରମ୍ଭ କରି ତରକାରି ଖାଇବାକୁ ଦେବ । ମସୁର ଡାଲିପାଣି, ସଜନା ଶାଗ, ସଜନା ଫୁଲ, ସଜନା ଛୁଇଁ ଖାଇବାକୁ ଦିଆଯାଇପାରେ । ପେଟ ଫୁଲିଗଲେ ଯୁଆଣି ବାଟି ପେଟ ଉପରେ ବୋଳିଦେଲେ ବାୟୁ ବାହାରି ଯାଏ ।  ଶୋଥ ରୋଗୀକୁ କୋଳଥ ଡାଲି ପାଣିରେ ଅଳ୍ପ ପିପ୍ପଳୀ ଗୁଣ୍ଡ ମିଶାଇ ପିଇବାକୁ ଦେବ । ଏହା ବିଶେଷ ଉପକାରୀ । ଦୁଧ ଗରମ କଲାବେଳେ ସେଥିରେ ଗୋଟିଏ । ପିପ୍ପଳୀ ପକାଇବ । ଏହି ଦୁଧ ଶୋଥରୋଗୀ ପାଇଁ ଅତି ଉପକାରୀ ।

ମାଣିସାରୁ :
ଶୋଥ ରୋଗରେ ମାଣସାରୁ ଅତି ଉପକାରୀ । ମାଣସାରୁ ମୁଣ୍ଡରେ ଭିଜା ଜୀରାଗୁଣ୍ଡ ମିଶାଇ ଖାଇଲେ ଉପକାର ମିଳେ ।
ମାଣସାରୁକୁ ପତଳା ପତଳା କାଟି ଖରାରେ ଶୁଖାଇବ । ଶୁଖୁଗଲେ ହେମଦସ୍ତାରେ କୁଟି ଗୁଣ୍ଡ କରିବ । ଗୁଣ୍ଡକୁ କନାରେ ଛାଣି କାଚବୋତଲରେ ରଖିବ ।

ମାଣସାରୁ ଗୁଣ୍ଡ ୨ ଚାମଚ, ପୁରୁଣା ଅରୁଆ ଚାଉଳ ଗୁଣ୍ଡ ୨ ଚାମଚ, ୨୫୦ ଗ୍ରାମ ଦୁଧ, ୨୫୦ ଗ୍ରାମ ପାଣି ଓ ଚାମ ମିଶ୍ରିଗୁଣ୍ଡକୁ ସିଝାଇଲେ ମାଣସାରୁ ମଣ୍ଡ ହେବ । ପ୍ରଥମେ ୨୫୦ ମିଲି ଦୁଧକୁ ସିଝାଇବ । ଦୁଧ ସିଝି ସର ପଡ଼ିଆସିଲେ ଦୁଇ ଚାମଚ୍ ସାରୁଗୁଣ୍ଡ ପକାଇ ଘାଣ୍ଟିବ । ମିଶିଗଲେ ୨୫୦ ମିଲି. ପାଣି, ୨ ଚାମଚ ଚାଉଳଗୁଣ୍ଡ ଓ ଚାମ ମିଶ୍ରିଗୁଣ୍ଡ ପକାଇ ସିଝାଇବ । ବହଳିଆ ହେଲେ ଚୁଲିରୁ ଓହ୍ଲାଇ ଥଣ୍ଡାକରି ଖାଇବି ।

ଏକ ବର୍ଷର ପୁରୁଣା ମାଣସାରୁକୁ ଚେକା ଚେକା କାଟି ୪ ଲିଟର ପାଣିରେ ପକାଇ ସିଝାଇବ । ୧ ଲିଟର ପାଣି ରହିଲେ ଚୁଲିରୁ ଓହ୍ଲାଇ ଛାଣି ରଖିବ । ୧ କିଲୋ ଗୁଆଘିଅ ଗରମ କରିବ । ଘିଅ ତରଳିଗଲେ ସେଥିରେ ରଖିଥିବା ମାଣସାରୁ ସିଝା ପାଣିକୁ ମିଶାଇବ । କିଛି ସମୟ ପରେ ସିଝା ମାଣସାରୁକୁ ଛେଚି ସେଥିରେ ମିଶାଇବ । ପାଣି ମରିଗଲେ ଚୁଲିରୁ ଓହ୍ଲାଇ ରଖିବ । ଏହାକୁ ମାଣତ କୁହାଯାଏ ।
ଏହି ଘିଅକୁ ଦ୍ୱିପ୍ରହରେ ଏକ ଚାମଚ, ଇଷତ୍ ଉଷୁମ ଦୁଧରେ ମିଶାଇ ରୋଗୀକୁ କିଛିଦିନ ଖାଇବାକୁ ଦେଲେ ଉପକାର ମିଳେ |

ଶ୍ରେତପୁରୁଣୀ:
ମାଣସାରୁ ଭଳି ଶ୍ରେତପୁରୁଣୀର ଘୃତ ପ୍ରସ୍ତୁତ କରି ରୋଗୀକୁ ଦିଆଯାଇପାରେ । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୫, ୬ ଚାମଚ ଲେଖା ଖାଇଲେ ଶୋଥରେ ଉପକାର ମିଳେ |

ଅଦା :
ପ୍ରତିଦିନ ସକାଳୁ ପୁରୁଣା ଗୁଡ଼ ୩ ଗ୍ରାମ ଓ ଅଦା ୩ ଗ୍ରାମ ମିଶାଇ ଖାଇବ । ଏହିମାତ୍ରା ଧୀରେ ଧୀରେ ଗୁଡ଼ ୨୫ ଗ୍ରାମ ଓ ଅଦା ୨୫ ଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି କରିବ । ଖାଇବାର ୨, ୩ ଘଣ୍ଟା ପରେ ଦୁଧ, ଭାତ କିମ୍ବା ମାଂସ ସୁପ୍ତ, ଭାତ ଖାଇବ ।ଶୁଣ୍ଠି ଗୁଣ୍ଡ ଏକ ଚାମଚ ସହ ଦୁଇ ଚାମଚ ଶ୍ଵେତ ପୁରୁଣୀ ରସ ଖାଇଲେ ମଧ୍ୟ ଶୋଥ ରୋଗରେ ଉପକାର ମିଳେ ।। ଉଦରୀ ଶୋଥରେ କପେ ଗରମ ଦୁଧରେ ଚାମଚେ ଅଦାରସ ମିଶାଇ ପିଇଲେ ଉପକାର ମିଳେ ।

ବେଲପତ୍ର : 
ପ୍ରତିଦିନ ସକାଳ, ସନ୍ଧ୍ୟା ଦିନକୁ ଦୁଇଥର ୧ ୨ ଚାମଚ ବେଲପତ୍ର ରସରେ ଅଧଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଶୋଥ ରୋଗରେ ଉପକାର ମିଳେ ।

ଅପଥ୍ୟ : 
ଖୋଲା ଦୂଷିତ ଓ ଶୀତଳ ବାୟୁ, ଜଳପାନ, ସ୍ନାନ, ମଳମୂତ୍ରର ବେଗ ଧାରଣ, ନୂଆ ଚାଉଳ, ଲୁଣ, ଅମ୍ନ, ଅଧୁକ ମିଷ୍ଟାନ୍ନ, ଦହି, ମଦ, ଦିବା ନିଦ୍ରା, ଖସା, ଶିମ୍ବ, ଶାଗ, ମାଛ, ପରିଶ୍ରମ, ବ୍ୟାୟାମ, ଗୁରୁପାକ ଓ ବିରୁଦ୍ଧ ଖାଦ୍ୟ, ମୈଥୁନ ।