ବ୍ରଜନାଥ ରଥ (୧୨ ଜାନୁଆରୀ ୧୯୩୬ - ୩୧ ମଇ ୨୦୧୪) ଜଣେ 'ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର' ପ୍ରାପ୍ତ କବି ।

ଜନ୍ମ ଓ ଜୀବନ
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ୱର ସହରର ସୁନହଟଠାରେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ୱାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।

୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ୱିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ୱାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ୱାଧୀନତା ସମ୍ପର୍କିତ ଏକ ସ୍ୱରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।

୧୯୪୮ରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର ମନୋଜ ଦାସ ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା 'ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), ଡଗର ପତ୍ରିକାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ ଫକୀରମୋହନ କଲେଜରେ । ସେତେବେଳେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଚାଲୁଥାଏ ଫକୀରମୋହନ କଲେଜ । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ୱାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।

ବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ୱତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।

ସାହିତ୍ୟ ସର୍ଜନା
କବିତା
ମରୁଗୋଲାପ(୧୯୬୦)
ନିଜସ୍ୱ ସଂଳାପ(୧୯୬୯)
ମରୁଗୋଲାପ ଓ ଅନ୍ୟାନ୍ୟ କବିତା(୧୯୭୨)
ନିଃଶଦ୍ଦ ପ୍ରତିବାଦ(୧୯୭୭)
ସଭ୍ୟତାର ମୁହଁ(୧୯୭୯)
ମନର ମାନଚିତ୍ର(୧୯୮୪)
ହେ ମହାଜୀବନ!(୧୯୯୧)
ହଜିଗଲା ଝଡର ସଙ୍ଗୀତ
ଲଘୁ ଶତକ(ବ୍ୟଙ୍ଗ କବିତା, ୧୯୯୩)
ହେ ମୋର ସ୍ୱଦେଶ!(୧୯୯୭)
ଗଡ଼ିଗଡ଼ି ଗଲି ବଲ(ଶିଶୁ କବିତା, ୨୦୦୧)
ସ୍ୱନିର୍ବାଚିତ କବିତା(୨୦୦୧)
ସମୟର ଶଦ୍ଦଲିପି(୨୦୦୭)
ସାମାନ୍ୟ ଅସାମାନ୍ୟ(୨୦୦୭)
ଏକ ଏକ ଏକପଦୀ(୨୦୦୯)
ଅନୁବାଦ
ତସଲିମାଙ୍କ ଶ୍ରେଷ୍ଠ କବିତା
ଦୁଃଖିନୀ ଝିଅର ଗୀତ
ନିର୍ବାଚିତ କଲାମ
ମୋ ପିଲାଦିନ
ଅନ୍ନଦା ମଙ୍ଗଳ
ଜେଲ ପତ୍ରାବଳୀ
ପୁରସ୍କାର
କବି ବ୍ରଜନାଥ ରଥ
ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ମନର ମାନଚିତ୍ର ପାଇଁ)
ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)
ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ), ୨୦୦୨
ଡକ୍ଟରେଟ, ୨୦୧୧(ଫକୀର ମୋହନ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ)
କବି ଶେଖର ଚିନ୍ତାମଣି ପୁରସ୍କାର
କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
ଭାରତ ଚନ୍ଦ୍ର ନାୟକ ସାହିତ୍ୟ ସମ୍ମାନ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
ଗୋକର୍ଣିକା ପୁରସ୍କାର
କବି ସଚ୍ଚି ରାଉତରାୟ ସାହିତ୍ୟ ସମ୍ମାନ (ଭୁବନେଶ୍ୱର ପୁସ୍ତକ ମେଳା)
ଶୁଦ୍ରମୁନି ସାହିତ୍ୟ ପୁରସ୍କାର (ସିସୋର ସାହିତ୍ୟ ଏକାଡେମୀ)