ଦେବାଶିଷ ମହାନ୍ତି
ଜନ୍ମ ତାରିଖ (1976-07-20) ୨୦ ଜୁଲାଇ ୧୯୭୬
ଭୁବନେଶ୍ୱର, ଓଡ଼ିଶା, ଭାରତ
ବ୍ୟାଟିଙ୍ଗ ପ୍ରକାର ଡାହାଣ-ହାତୀ
ବୋଲିଂ ପ୍ରକାର ଡାହାଣ-ହାତୀ
ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିବା ପ୍ରଥମ ଓଡ଼ିଆ ଖେଳାଳି । ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ସଞ୍ଜୟ ରାଉଳ, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
ଦେବାଶିଷ ମହାନ୍ତିଙ୍କର ପୁର୍ଣ ନାମ 'ଦେବାଶିଷ ସର୍ବେଶ୍ୱର ମହାନ୍ତି'। ସେ ୧୯୭୬ ମସିହା ଜୁଲାଇ ୨୦ ତାରିଖରେ ପିତା ସର୍ବେଶ୍ୱର ମହାନ୍ତି ଓ ମାତା ମଞ୍ଜୁଳା ମହାନ୍ତିଙ୍କ ଠାରୁ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ସେ ଜଣେ ସ୍ନାତକ । ସେ ସମ୍ବଲପୁରର ଆଇନୀଜୀବୀ, ମୋତିଲାଲ ଦାସ ଓ ଚନ୍ଦ୍ରପ୍ରଭା ଦେବୀଙ୍କ କନ୍ୟା ରିତିମୁକ୍ତାଙ୍କୁ ବିବାହ କରିଛନ୍ତି । ସେ ବର୍ତ୍ତମାନ ନାଲକୋରେ କାର୍ଯ୍ୟରତ ।
କ୍ରିକେଟ ଜୀବନ
ଦେବାଶିଷ ମହାନ୍ତି, ୧୯୯୧ ମସିହାରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସହିଦ ସ୍ପୋଟିଂ କ୍ଳବରେ ଯୋଗଦାନ କରି ସ୍ୱର୍ଗତ କମଳ ଗାଙ୍ଗୁଲୀଙ୍କଠାରୁ କ୍ରିକେଟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସେ କ୍ରମେ ଭୁବନେଶ୍ୱର, ଓଡ଼ିଶା ଓ ପୂର୍ବାଞ୍ଚଳ ପାଇଁ ଖେଳିଥିଲେ । ୧୯୯୭ରେ ବଙ୍ଗଳାଦେଶରେ ଅନୁଷ୍ଠିତ ସାର୍କ ଟୁର୍ଣାମେନ୍ଟରେ ତାଙ୍କର ବୋଲିଙ୍ଗରେ ପ୍ରଭାବିତ ହୋଇ, ତତକାଳୀନ ଭାରତ 'ଏ' ଦଳର ପ୍ରଶିକ୍ଷକ, ଭାରତୀୟ ଦଳ ପାଇଁ ତାଙ୍କ ନାମ ସୁପାରିସ କରିଥିଲେ । ୧୯୯୭ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ପ୍ରଥମ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ଏହି ମ୍ୟାଚର ପ୍ରଥମ ଇନିଙ୍ଗସରେ ସେ ୨୦.୪ ଓଭର ବୋଲିଙ୍ଗ କରି ୪ଟି ଉଇକେଟ ନେବାରେ ସଫଳ ହୋଇଥିଲେ ।ଏହି ପ୍ରଦର୍ଶନ ପରେ, ସେ ଜଣେ ଭଲ ସୁଇଙ୍ଗ ବୋଲର ହିସାବରେ ପରିଗଣିତ ହୋଇଥିଲେ । ଭାରତୀୟ ପିଚ ଅପେକ୍ଷା, ଭାରତ ବାହାରର ସୁଇଙ୍ଗ ପିଚରେ ତାଙ୍କର ପ୍ରଦର୍ଶନ ବେଶି ଭଲ ହୋଇପାରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଟେଷ୍ଟ ମ୍ୟାଚରେ ବିଶେଷ ସୁଯୋଗ ମିଳି ପାରିନଥିଲା । ୧୯୯୭ରେ ହିଁ ସେ ପାକିସ୍ଥାନ ବିରୋଧରେ ଟରୋଣ୍ଟୋଠାରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ସେ ୭ ଓଭରରେ ୨୨ ରନ ଦେଇ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ । ଭାରତର, ଏହି ସିରିଜ ଜିତିବାରେ ଦେବାଶିଷ ମହାନ୍ତିଙ୍କର ପ୍ରମୁଖ ଭୁମିକା ରହିଥିଲା । ୧୯୯୯ ବିଶ୍ୱକପରେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ବିଶ୍ୱକପରେ ସେ ସମୁଦାୟ ୬ଟି ମ୍ୟାଚ ଖେଳି ୧୦ଟି ଉଇକେଟ ନେଇଥିଲେ ଓ ଭାରତ ତରଫରୁ ଦ୍ୱିତୀୟ ସର୍ବାଧିକ ଉଇକେଟ ଅର୍ଜନ କରିଥିଲେ । ୨୦୦୧ ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ନିଜର ଶେଷ ଆନ୍ତର୍ଜାତୀକ ମ୍ୟାଚ ଖେଳିଥିଲେ । ୨୦୦୬ରେ ସେ କଲଉଇନୀ କ୍ରିକେଟ କ୍ଳବ ସହ ଅନୁବନ୍ଧିତ ହୋଇଥିଲେ । ତାଙ୍କ ନିଜ ମତରେ , ଭାରତୀୟ କ୍ରିକେଟ ଦଳ ପାଇଁ ବଛାଯିବା ଓ ବିଶ୍ୱକପରେ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ୱଙ୍କର ଉଇକେଟ ନେବା ତାଙ୍କ କ୍ରିକେଟ ଜୀବନର ଦୁଇଟି ସ୍ମରଣୀୟ ଘଟଣା ।ବର୍ତମାନ ସେ ଓଡ଼ିଶା ରଣଜୀ ଦଳର ପ୍ରଶିକ୍ଷକ ରୁପେ କାର୍ଯ୍ୟରତ । ସେ ପୁର୍ବାଞ୍ଚଳ ଦଳର ପ୍ରଶିକ୍ଷକ ରୁପେ ମଧ୍ୟ କାର୍ଯ୍ୟ କରି ଏହାକୁ ଦୁଲୀପ ଟ୍ରଫି ଜିତାଇ ସାରିଛନ୍ତି ।
ପୁରସ୍କାର ଓ ସମ୍ମାନ
ଏକଲବ୍ୟ ପୁରସ୍କାର ୧୯୯୮
ସହିଦ ସ୍ପୋଟିଂ ମାରୁତି ଇଷ୍ଟେଟ କ୍ରିକେଟିଅର ଅଫ ଦ ଇଅର ୧୯୯୭,୨୦୦୧,୨୦୦୫,୨୦୦୭ଦେବାଶିଷ ମହାନ୍ତି
0 Comments