ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି (ଈଂରାଜୀରେ “କ୍ରାଇଷ୍ଟ୍ ଦ ରିଡିମର୍” - Christ the Redeemer ଓ ପର୍ତ୍ତୁଗୀଜରେ Cristo Redentor) ବ୍ରାଜିଲ ଦେଶର ରିଓ ଡି ଜେନିରୋ ସହରରେ ପ୍ରତିଷ୍ଠିତ ଯୀଶୁଖ୍ରୀଷ୍ଟଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି । ବ୍ରାଜିଲରେ କଥିତ ପର୍ତ୍ତୁଗୀଜ ଭାଷାଭାଷୀ ଲୋକେ ଏହାକୁ kɾistu ʁedẽˈtoʁ ଓ ସ୍ଥାନୀୟ ଭାଷାରେ ଏହି ମୂର୍ତ୍ତିକୁ kɾiɕtŭ̻ xe̞dẽ̞ˈtoɦ ବୋଲି ମଧ୍ୟ କୁହାଯାଏ । ଏହି ମୂର୍ତ୍ତିଟି ଫରାସୀ କଳାଶୈଳୀ ଆର୍ଟ୍ ଡେକୋର ଏକ ଉଦାହରଣ । ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ବ୍ରାଜିଲର ଯନ୍ତ୍ରୀ ହାଇଟର୍ ଡା ସିଲ୍‍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍‍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ କରାଯାଇଥିଲା । ଫରାସୀ ପ୍ରସ୍ତରଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ଅଧିକାଂଶ ଭାଗ ଗଢ଼ିଥିବା ବେଳେ ରୋମାନୀୟ ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡା ମୂର୍ତ୍ତିର ମୁଖ ଗଢ଼ିଥିଲେ । ୧୯୨୨ ମସିହାରୁ ୧୯୩୧ ମଧ୍ୟରେ ଏହି ମୂର୍ତ୍ତିର ନିର୍ମାଣ କରାଯାଇଥିଲା । କେବଳ ମୂର୍ତ୍ତିର ଉଚ୍ଚତା ୩୦ ମିଟର୍ (୯୮ ଫୁଟ୍) ହୋଇଥିବା ବେଳେ ମୂର୍ତ୍ତିତଳ ପୀଠ ସହ ସର୍ବମୋଟ ଉଚ୍ଚତା ୩୮ ମିଟର୍ (୧୨୫ ଫୁଟ୍) । ମୂର୍ତ୍ତିରେ ଯୀଶୁଖ୍ରୀଷ୍ଟଙ୍କ ଦୁଇ ବାହୁ ପ୍ରସାରିତ ହୋଇ ରହିଛନ୍ତି ଯାହାର ଦୈର୍ଘ୍ୟ ୨୮ ମିଟର୍ (୯୨ ଫୁଟ୍) । ବବଲିଭିଆର କୋଚାବମ୍ବାସ୍ଥିତ “କ୍ରାଇଷ୍ଟୋ ଡି ଲା କୋନ୍‍କୋର୍ଡିଆ” ମୂର୍ତ୍ତି ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିଠାରୁ ସାମାନ୍ୟ ବଡ଼ ।

ମୂର୍ତ୍ତିର ଓଜନ ୬୩୫ ମେଟ୍ରିକ୍ ଟନ୍ । ଏହି ବିଶାଳ ମୂର୍ତ୍ତିକୁ କୋର୍କୋଭାଡୋ ପର୍ବତର ସର୍ବୋଚ୍ଚ ଅଂଶରେ ନିର୍ମାଣ କରାଯାଇଛି । କୋର୍କୋଭାଡୋ ପର୍ବତ ତିୟୁକା ବନ ଜାତୀୟ ଉଦ୍ୟାନ ମଧ୍ୟରେ ରିଓ ଡି ଜେନିରୋ ନଗର ପାର୍ଶ୍ୱରେ ଅବସ୍ଥିତ । ଖ୍ରୀଷ୍ଟଧର୍ମର ପ୍ରତୀକ ଏହି ମୂର୍ତ୍ତି ରିଓ ଡି ଜେନିରୋ ତଥା ବ୍ରାଜିଲର ସାଂସ୍କୃତିକ ଚିହ୍ନ ପାଲଟି ଯାଇଛି ଏବଂ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି । ଏହି ପ୍ରତିମୂର୍ତ୍ତିଟି କଂକ୍ରିଟ୍ ଓ ଖଡ଼ିପଥରରେ ନିର୍ମିତ ।

୧୮୫୦ ଦଶନ୍ଧିରେ ଭଟିକାନ୍ ପାଦ୍ରୀ ପେଡ୍ରୋ ମାରିଆ ବସ୍ ବ୍ରାଜିଲର ସମ୍ରାଟ ପେଡ୍ରୋ-୨ଙ୍କ କନ୍ୟା ଓ ବ୍ରାଜିଲର ରାଜଜେମା ଇସାବେଲ୍‍ଙ୍କ ସମ୍ମାନରେ କୋର୍କୋଭାଡୋ ପର୍ବତ ଉପରେ ଏକ ଖ୍ରୀଷ୍ଟ କଳାକୃତି ନିର୍ମାଣ କରାଇବାର ପ୍ରସ୍ତାବ ରଖିଥିଲେ, କିନ୍ତୁ ଏହି ପ୍ରସ୍ତାବକୁ ବିଶେଷ ସମର୍ଥନ ମିଳି ପାରିନଥିଲା । ୧୮୮୯ ମସିହାରେ ବ୍ରାଜିଲ ଏକ ଲୋକତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଲା । ସେ ସମୟରେ ନୂତନ ରାଷ୍ଟ୍ର ପ୍ରଶାସନର ଗଠନ ଓ ପୂର୍ବରୁ ରହିଥିବା ଗୀର୍ଜା ପରିଚାଳିତ ପ୍ରଶାସନିକ ବ୍ୟବସ୍ଥାର ସଂକୁଚନ ଯୋଗୁଁ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରତ୍ୟାଖ୍ୟାନ କରିଦିଆଯାଇଥିଲା ।

୧୯୨୦ ମସିହାରେ ରିଓ ନଗରର କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପୁଣିଥରେ ଯୀଶୁଖ୍ରୀଷ୍ଟଙ୍କ ଏକ ମହାନ ପ୍ରତିମୂର୍ତ୍ତି ନିର୍ମାଣ କରାଇବାର ପ୍ରସ୍ତାବ ରଖିଥିଲେ ।ଲୋକଙ୍କଠାରୁ ଆର୍ଥିକ ସହାୟତା ଓ ମୂର୍ତ୍ତି ନିର୍ମାଣ ପାଇଁ ସମର୍ଥନ ହାସଲ କରିବା ଉଦ୍ଦେଶ୍ୟ ନେଇ ଏହି ସଙ୍ଗଠନ Semana do Monumento (ବା "ସ୍ମାରକୀ ସପ୍ତାହ") ନାମକ ଏକ ସମାରୋହର ଆୟୋଜନ କରିଥିଲା । ତତ୍କାଳୀନ ସମାଜରେ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ଅଭାବକୁ ଉପଲବ୍ଧି କରି ଏହି ସଙ୍ଗଠନ ଏପରି ପ୍ରସ୍ତାବ ରଖାଯାଇଥିଲା । ମୁଖ୍ୟତଃ ବ୍ରାଜିଲର କ୍ୟାଥୋଲିକ୍‍ମାନେ ଏଥିପାଇଁ ବହୁ ଅର୍ଥଦାନ କରିଥିଲେ । ଯୀଶୁଙ୍କ ଏକ ବିରାଟ ମୂର୍ତ୍ତିର ଯୋଜନା କରାଗଲା ଯେଉଁଥିରେ ଯୀଶୁ ନିଜ ହାତ ପ୍ରସାରି, ହାତରେ ପୃଥିବୀ ଧରି ଠିଆ ହୋଇଥିବେ ଓ ମୂର୍ତ୍ତିତଳ ପୀଠ ମଧ୍ୟ ପୃଥିବୀର ସଙ୍କେତ ବହନ କରୁଥିବ ।ଶେଷରେ ହାତ ଖୋଲି ଛିଡ଼ା ହୋଇଥିବା ଶାନ୍ତିର ପ୍ରତୀକ ମୁକ୍ତିଦାତା ଯୀଶୁଙ୍କ ମୂର୍ତ୍ତିର ନିର୍ମାଣ କରିବା ପାଇଁ ସ୍ଥିର କରାଗଲା ।

ବ୍ରାଜିଲର ଯନ୍ତ୍ରୀ ହେଇଟର୍ ଡା ସିଲ୍‍ଭା କୋଷ୍ଟା ମୂର୍ତ୍ତିର ରୂପରେଖ ବା ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଫରାସୀ ମୂର୍ତ୍ତିଶିଳ୍ପୀ ପଲ୍ ଲାନ୍ଦୋସ୍କି ମୂର୍ତ୍ତିର ନିର୍ମାଣ କରିଥିଲେ ।

୧୯୨୨ ମସିହାରେ ଲାନ୍ଦୋସ୍କି ରୋମେନିଆରେ ଜନ୍ମ ଗ୍ରହଣ କରିଥିବା ଓ ଫ୍ରାଂସରେ ତାଙ୍କ ସହ କାମ କରିଥିବା ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କୁ ଏହି ପ୍ରକଳ୍ପରେ ନିୟୋଜିତ କରିଥିଲେ । ଲ୍ୟୋନାଇଡା ବୁକାରେଷ୍ଟର ଲଳିତ-କଳା ଗୃହ ଓ ଇଟାଲୀରେ ଏହା ପୂର୍ବରୁ ମୂର୍ତ୍ତିନିର୍ମାଣ କଳା ଅଧ୍ୟୟନ କରିଥିଲେ । ଲ୍ୟୋନାଇଡା ପରବର୍ତ୍ତୀ ସମୟରେ ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିର ମସ୍ତକର ରଚୟିତା ହେବାର ଗୌରବ ଲାଭ କରିଥିଲେ ।

ଲାନ୍ଦୋସ୍କିଙ୍କ ମୂର୍ତ୍ତିଗଠନ ନମୁନାକୁ ଅନେକ ଯନ୍ତ୍ରୀ ଓ ବୈଷୟିକ ବିଜ୍ଞାନୀ ଅନୁଭବ କଲେ ଯେ ଯୁକ୍ତ ଚିହ୍ନ ପରି ମୂର୍ତ୍ତିର ନିର୍ମାଣ ପାଇଁ ଷ୍ଟିଲ୍ ପରିବର୍ତ୍ତେ ଦୃଢ଼ କଂକ୍ରିଟ୍ ବ୍ୟବହାର କରିବା ଠିକ୍ ହେବ । ଦୀର୍ଘସ୍ଥାୟିତ୍ୱ ଓ ବ୍ୟବହାରରେ ସହଜ ହେଉଥିବାରୁ ମୂର୍ତ୍ତିର ବାହ୍ୟପାର୍ଶ୍ୱ ଖଡ଼ିପଥରଦ୍ୱାରା ଗଢ଼ିବାର ଯୋଜନା କରାଗଲା ।୧୯୨୨ରୁ ନେଇ ୧୯୩୧ ମସିହା ପର୍ଯ୍ୟନ୍ତ ୯ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା ଓ ନିର୍ମାଣ ପାଇଁ ପ୍ରାୟ ତତ୍କାଳୀନ ସମୟର ୨୫୦୦୦୦ ଆମେରିକୀୟ ଡଲାର୍ ମୂଲ୍ୟର ସମ୍ବଳ ଖର୍ଚ୍ଚ କରାଯାଇଥିଲା । ଏହି କଳାକୃତିଟି ୧୨ ଅକ୍ଟୋବର ୧୯୩୧ ମସିହାରେ ଉଦ୍‍ଘାଟନ କରାଗଲା । ଉଦ୍‍ଘାଟନ ସମୟରେ ୯୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ରୋମ୍ ସହରରୁ ବେତାର ତରଙ୍ଗର ପ୍ରେରଣ କରି ରିଓରେ ଆଲୋକ ଜଳାଇ ମୂର୍ତ୍ତିକୁ ଉଜ୍ଜ୍ୱଳିତ କରିବାର ଯୋଜନା କରାଯାଇଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ରିଓରେ ଥିବା ସ୍ୱିଚ୍ଦ୍ୱାରା ଆଲୋକ ପ୍ରଜ୍ଜ୍ୱଳିତ ହୋଇଥିଲା ।

୨୦୦୬ ମସିହା ଅକ୍ଟୋବର ମାସରେ (ମୂର୍ତ୍ତିର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ) ରିଓର ଆର୍ଚ୍-ବିଶପ୍ (ମୁଖ୍ୟ ପାଦ୍ରୀ) କାର୍ଡିନାଲ୍ ଐସେବିଓ ଓସ୍କାର୍ ଶାଇଡ୍ ପ୍ରତିମୂର୍ତ୍ତିର ପାଦଦେଶରେ ଦୀକ୍ଷାଗ୍ରହଣ ଓ ବିବାହ ପରି ଉତ୍ସବ ପାଳନ କରିବା ପାଇଁ ନୋସା ସିନ୍ୟୋରା ଆପାର୍ଚିଡା (ପର୍ତ୍ତୁଗୀଜ ଭାଷାରେ Nossa Senhora Aparecida) ନାମକ ଏକ କ୍ଷୁଦ୍ର ଗୀର୍ଜାଘରର ପ୍ରତିଷ୍ଠା କରାଇଥିଲେ ।

୨୦୦୮ ମସିହା ଫେବୃଆରି ୧୦ ତାରିଖରେ ହୋଇଥିବା ଏକ ଭୟଙ୍କର ଝଡ଼ ସମୟରେ ମୂର୍ତ୍ତି ଉପରେ ବଜ୍ରପାତ ହୋଇଥିଲା । ମୂର୍ତ୍ତିର ମୁଣ୍ଡ, ଭ୍ରୁଲତା ଓ ଆଙ୍ଗୁଠିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ରିଓ ଡି ଜେନିରୋର ସରକାର ମୂର୍ତ୍ତିର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କଲେ । କିଛି ଖଡ଼ିପଥର ମୂର୍ତ୍ତିରୁ ହଟାଇ ଦିଆଗଲା ଓ ଏହାର ବିଜୁଳି ପରିବାହକ ବ୍ୟବସ୍ଥାର (lightning rod) ମରାମତି କରାଗଲା ।

୨୦୧୦ ମସିହାରେ ବ୍ୟାପକ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଫେଇ, ମୂର୍ତ୍ତିର ବାହାର ପାଖରୁ ସିମେଣ୍ଟ ମସଲା ଓ ଖଡ଼ିପଥର ଛଡ଼ାଇବା, କିଛି ଲୌହ ଅଂଶକୁ ଦୃଢ଼ କରିବା ଓ ପାଣିରୁ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଗଲା । କିଛି ଉତ୍ପାତିଆ ଅସାମାଜିକ ବ୍ୟକ୍ତି ମୂର୍ତ୍ତିର ଗୋଟିଏ ହାତରେ ରଙ୍ଗ ଛିଞ୍ଚି ମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ । ମେୟର୍ ଏଡ୍ୱାର୍ଡୋ ପେସ୍ ଏହାକୁ ଏକ ଦେଶବିରୋଧୀ ଜଘନ୍ୟ ଅପରାଧ ବୋଲି ଅଭିହିତ କରିଥିଲେ; ତେବେ ପରେ ଦୋଷୀମାନେ ନିଜେ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି କ୍ଷମା ପ୍ରାର୍ଥନା କରିଥିଲେ ।


୧୯୯୦ ମସିହାରେ ରିଓର କ୍ୟାଥୋଲିକ୍ ସଂଗଠନ, ଗ୍ରୁପୋ ଗ୍ଲୋବୋ ନାମକ ଗଣମାଧ୍ୟମ କମ୍ପାନୀ, ଶେଲ୍ ଡୋ ବ୍ରାସିଲ୍ ନାମକ ତୈଳ କମ୍ପାନୀ, ବ୍ରାଜିଲ ପରିବେଶ ଓ ନବୀକରଣୀୟ ପ୍ରାକୃତିକ ସମ୍ବଳ ଅନୁଷ୍ଠାନ, ଜାତୀୟ ଐତିହାସିକ ଓ କଳା ଐତିହ୍ୟ ସଂସ୍ଥା, ରିଓର ନଗରପାଳିକା ଇତ୍ୟାଦି ବିଭିନ୍ନ ସଂଗଠନର ଯୋଗଦାନରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା ।

୨୦୦୩ ଓ ୨୦୧୦ ମସିହାରେ ମୂର୍ତ୍ତି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ରକ୍ଷଣାବେକ୍ଷଣ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ୨୦୦୩ ମସିହାରେ ମୂର୍ତ୍ତିର ପାଦଦେଶରେ କମ୍ ପରିଶ୍ରମରେ ପହଞ୍ଚିବା ପାଇଁ ସ୍ୱୟଂଚାଳିତ ପାହାଚ ବା ଏସ୍କାଲେଟର୍ (escalator), ଲିଫ୍ଟ ଇତ୍ୟାଦି ଖଞ୍ଜାଯାଇଛି । ୨୦୧୦ ମସିହାରେ ଚାରି ମାସ ଧରି ଚଲିଥିବା କାର୍ଯ୍ୟରେ ମୁଖ୍ୟତଃ ପ୍ରତିମାର ପୁନରୁଦ୍ଧାର ଓ ମରାମତି କରାଯାଇଥିଲା । ମୂର୍ତ୍ତିର ଅନ୍ତର୍ଦେଶର ନବୀକରଣ, ବାହ୍ୟପାର୍ଶ୍ୱରୁ ଶିଉଳି ଇତ୍ୟାଦି ସଫା କରିବା, ଛୋଟ ଛୋଟ ଫାଟର ମରାମତି ଇତ୍ୟାଦି କାର୍ଯ୍ୟ କରାଯାଇଥିଲା । ମୂର୍ତ୍ତିର ମୁଣ୍ଡ ଓ ହାତ ନିକଟରେ ରହିଥିବା ବିଜୁଳି ପରିବାହକ ବ୍ୟବସ୍ଥାର ନବୀକରଣ କରାଗଲା ଓ ମୂର୍ତ୍ତିର ତଳପଟୁ ମୂର୍ତ୍ତି ଉପରକୁ ପଡ଼ି ପ୍ରଜ୍ଜ୍ୱଳିତ କରିପାରୁଥିବା ଆଲୋକର ବ୍ୟବସ୍ଥା କରାଗଲା ।

ଶହେ ଲୋକଙ୍କ ଶ୍ରମ ବିନିମୟରେ କରାଯାଇଥିବା ଏହି ମରାମତି କାର୍ଯ୍ୟ ପାଇଁ ୬୦୦୦୦ ପଥର ଖଣ୍ଡ ବ୍ୟବହାର କରାଯାଇଥିଲା । ମୂଳ ପ୍ରତିମା ପାଇଁ ଯେଉଁ ସ୍ଥାନରୁ ପଥର ଅଣାଯାଇଥିଲା, ପୁନରୁଦ୍ଧାର ସମରେ ମଧ୍ୟ ସେହି ସ୍ଥାନର ପଥର ବ୍ୟବହାର କରାଗଲା ।ମୂର୍ତ୍ତିର ପୁନରୁଦ୍ଧାର ସରିବା ବେଳକୁ ୨୦୧୦ ଫିଫା ଫୁଟ୍‍ବଲ୍ ବିଶ୍ୱକପ୍ ଆରମ୍ଭ ହେଉଥିଲା । ତେଣୁ ପୁନରୁଦ୍ଧାର ପରେ ପ୍ରଥମ ପ୍ରତିମା ଉନ୍ମୋଚନ ବେଳେ ମୂର୍ତ୍ତି ଉପରେ ବ୍ରାଜିଲର ଜାତୀୟ ପତାକାରେ ରହିଥିବା ସବୁଜ ଓ ହଳଦିଆ ଆଲୋକରେ ପ୍ରଜ୍ଜ୍ୱଳିତ କରାଗଲା ଯାହା ଜାତୀୟ ଫୁଟ୍‍ବଲ୍ ଦଳର ସମର୍ଥନର ସୂଚକ ଥିଲା ।

ଏହି ମୂର୍ତ୍ତିଟି ସର୍ବଦା ବିଜୁଳି/ବଜ୍ରପାତ, ଝଡ଼ବାତ୍ୟା ଜନିତ ଅବକ୍ଷୟର ସମ୍ମୁଖୀନ ହେଉଥିବାରୁ ସମୟ ସମୟରେ ଏହାର ମରାମତି ନିତାନ୍ତ ଆବଶ୍ୟକ । ମୂଳ ପ୍ରତିମା ନିର୍ମାଣ ସମୟରେ ବ୍ୟବହୃତ ଖଡ଼ିପଥର ପରି ସ୍ୱଚ୍ଛ ଧଳା ଖଡ଼ିପଥର ଆଉ ସହଜରେ ଉପଲବ୍ଧ ନୁହେଁ ଓ ବର୍ତ୍ତମାନ ସମୟରେ ମିଳୁଥିବା ଅଧିକାଂଶ ଖଡ଼ିପଥର ଈଷତ୍ ଗାଢ଼ ରଙ୍ଗର ।

ବିଶ୍ୱର ଅନ୍ୟ କିଛି ପ୍ରମୁଖ ପ୍ରତିମୂର୍ତ୍ତିଙ୍କ ସହ ତୁଳନା

ଅନ୍ୟ କିଛି ପ୍ରତିମାଙ୍କ ସହ ତୁଳନା
ବିଶ୍ୱର ଅନ୍ୟ କେତେକ ମୁଖ୍ୟ ପ୍ରତିମୂର୍ତ୍ତିଙ୍କ ଆନୁମାନିକ ମାପ :

ଏକତାର ପ୍ରତିମୂର୍ତ୍ତି - ୧୮୩ ମିଟର
ସ୍ପିଂଗ୍ ଟେମ୍ପଲ୍ ବୁଦ୍ଧ – ୧୫୩ ମିଟର୍ (ପୀଠ ଓ ସିଂହାସନ ସହିତ)
ଷ୍ଟାଚ୍ୟୁ ଅଫ୍ ଲିବର୍ଟି – ୯୩ ମିଟର୍ (ପୀଠ ସହିତ)
ଦ ମଦର୍‍ଲ୍ୟାଣ୍ଡ କଲ୍‍ସ୍ – ୯୧ ମିଟର୍ (ପୀଠକୁ ବାଦ୍ ଦେଇ)
କ୍ରାଇଷ୍ଟ୍ ଦ ରିଡିମର୍ – ୩୮ ମିଟର୍ (ପୀଠ ସହିତ)
ଡେଭିଡ୍ ପ୍ରତିମୂର୍ତ୍ତି – ୫.୧୭ ମିଟର୍ (ପୀଠକୁ ବାଦ୍ ଦେଇ)
ସମାନ ଶୈଳୀରେ ନିର୍ମିତ ଅନ୍ୟ ପ୍ରତିମୂର୍ତ୍ତି[ସମ୍ପାଦନା]
ବ୍ରାଜିଲର ରିଓ ଭେର୍ଦେରେ ନିର୍ମିତ କ୍ରାଇଷ୍ଟ୍ ଦ ରିଡିମର୍ ମୂର୍ତ୍ତି
୧୯୩୦ ମସିହାରେ ସ୍ପେନ୍‍ର ପାଲେନ୍ସିଆରେ ନିର୍ମିତ କ୍ରିଷ୍ଟୋ ଡେଲ୍ ଓଟେରୋ ମୂର୍ତ୍ତି (ପ୍ରାୟ ୨୧ ମିଟର୍)
ମେକ୍ସିକୋର ଗ୍ୱାନାହ୍ୱାଟୋସ୍ଥିତ ସେରୋ ଡେଲ୍ କ୍ୟୁବିଲେଟ୍ ମୂର୍ତ୍ତି (୨୩ ମିଟର୍)
ଇଣ୍ଡୋନେସିଆର ମାନାଡୋସ୍ଥିତ କ୍ରାଇଷ୍ଟ୍ ବ୍ଲେସିଂ ମୂର୍ତ୍ତି (୩୦ ମିଟର୍)
କ୍ୟୁବାର ହାଭାନାର କ୍ରାଇଷ୍ଟ୍ ଅଫ୍ ହାଭାନା (୨୦ ମିଟର୍)
ଅନେକ ସାଗରତଳ ସ୍ଥାନରେ ନିର୍ମିତ କ୍ରାଇଷ୍ଟ୍ ଅଫ୍ ଦ ଏବିସ୍
ଯୁକ୍ତରାଷ୍ଟ୍ର ଆମେରିକାର ଆର୍କାନ୍ସାସ୍‍ସ୍ଥିତ କ୍ରାଇଷ୍ଟ୍ ଅଫ୍ ଦ ଓଜାର୍କ୍‍ସ୍ (୨୦ ମିଟର୍)
ଭିଏତ୍‍ନାମର କ୍ରାଇଷ୍ଟ୍ ଅଫ୍ ଭୁଂଗ୍ ତାଉ (୩୨ ମିଟର୍)
ପୋଲାଣ୍ଡର ସ୍ୱିବୋଜିନ୍‍ସ୍ଥିତ କ୍ରାଇଷ୍ଟ୍ ଦ କିଂଗ୍ (୩୨ ମିଟର୍)
ଆର୍ଜେଣ୍ଟିନା ଓ ଚିଲିର କ୍ରାଇଷ୍ଟ୍ ଦ ରିଡିମର୍ ଅଫ୍ ଦ ଆଣ୍ଡିଜ୍
ପେରୁର କୁସ୍କୋସ୍ଥିତ କ୍ରିଷ୍ଟୋ ବ୍ଲାଂକୋ
ସ୍ପେନ୍‍ର ଇବିଜ୍ଜାସ୍ଥିତ ସାଗ୍ରାତ୍ କୋର୍ ଡେ ଜୀଶୁସ୍ (୨୩ ମିଟର୍)
ବଲିଭିଆର କୋଚାବାମ୍ବାସ୍ଥିତ କ୍ରିଷ୍ଟୋ ଡେ ଲା କୋଂକୋର୍ଡିଆ
ମେକ୍ସିକୋର ଟୋରିଓଁ ସହରର କ୍ରିଷ୍ଟୋ ଡେ ଲାସ୍ ନୋଆସ୍ (୨୨ ମିଟର୍)
୨୦୧୧ ମସିହାରେ ପେରୁର ଲିମାରେ ପ୍ରତିଷ୍ଠା କରାଯାଇଥିବା କ୍ରିଷ୍ଟୋ ଡେଲ୍ ପାସିଫିକୋ (୩୭ ମିଟର୍)
ଇଣ୍ଡୋନେସିଆର ପଶ୍ଚିମ ପାପୁଆର ମାନ୍‍ସିନାମ୍ ଦ୍ୱୀପସ୍ଥିତ ପାତୁଂଗ୍ ଯୀଶୁଖ୍ରୀଷ୍ଟ [୨୭] (୩୦ ମିଟର୍)
ଇଟାଲୀର ମାରାଟେଆର କ୍ରିଷ୍ଟୋ ରେଡେଣ୍ଟୋରେ (୨୧ ମିଟର୍)
ପର୍ତ୍ତୁଗାଲର ଅଲ୍ମାଡ଼ାସ୍ଥିତ କ୍ରିଷ୍ଟୋ ରୈ (୨୮ ମିଟର୍)
ତିମୋର୍-ଲେଷ୍ଟେର ଡିଲିସ୍ଥିତ କ୍ରିଷ୍ଟୋ ରୈ ଅଫ୍ ଡିଲି (୨୭ ମିଟର୍)
୧୯୨୭ ମସିହାରେ ନିର୍ମିତ ମାଦୈରା ଦ୍ୱୀପର କ୍ରିଷ୍ଟୋ ରୈ (୧୫ ମିଟର୍)
ଅଙ୍ଗୋଲାର ଲୁବାଂଗୋ ସ୍ଥିତ କ୍ରିଷ୍ଟୋ ରୈ (୧୪ ମିଟର୍)
ସ୍ପେନ୍‍ର ବାର୍ସେଲୋନା ନଗରର ସାଗ୍ରାତ୍ କୋର୍ ଉପରିସ୍ଥ ଯୀଶୁ ପ୍ରତିମା
ମାଲଟାର ତାସ୍-ସାଲ୍‍ଭାଟୁର୍ (୧୨ ମିଟର୍)